ଗହଣା ଦୋକାନରେ ଚଢ଼ାଉ ଲକ୍ଷାଧିକ ଟଙ୍କା ଜୋରିମନା ଆଦାୟ
ତାଳଚେର, ୩୦/୧୦ ଶିଳ୍ପନଗରୀ ତାଳଚେର ଅଂଚଳରେ ସୁନାର ଚାହିଦା ରହିଥିବାରୁ ଏଠାରେ ଛତୁଫୁଟିଲା ଭଳି ସୁନା ଦୋକାନ ଗଢ଼ି ଉଠିଛି । ଏହି ପରିପ୍ରେକ୍ଷୀରେ ତାଳଚେର ସହର ଶର୍ମାଛକ ଠାରୁ ଆରମ୍ଭକରି ହାଟତୋଟା ଅଂଚଳରେ ରହିଥିବା ସୁନାଗହଣା ଦୋକାନ ଗୁଡ଼ିକରେ ମାପ ଓ ଓଜନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜୋରିମନା ଆଦାୟ କରିଛି । ତାଳଚେର ଉପଜିଲ୍ଳାପାଳ ସମୀର ଜେନାଙ୍କ ନିର୍ଦ୍ଦେଶକ୍ରମେ ଡ଼େପୁଟି କଲେକ୍ଟର ପୁଷ୍ପିତାମଧୁମିତା ଦେହୁରୀ ତାଳଚେର ମାପଓ ଓଜନ ବିଭାଗର ଅଧିକାରୀ ଚୋଡ଼ଙ୍ଗ ଦେବ କିଷାନ ଏହି ଚଢ଼ାଉରେ ଉପସ୍ଥିତ ରହି ସମସ୍ତ ଦୋକାନ ଗୁଡିକ କାଗଜପତ୍ର ସମେତ ନିକିତି ଓ ବଟକରା ସରଜମିନ୍ ତଦନ୍ତ କରିଥିଲେ । ଶର୍ମାଛକ ଅଂଚଳର ପ୍ରଥମେ ଆଇଟିଆଇ ଛକରେ ଥିବା ‘ଦୋ ଗୋଲ୍ଡ’଼ ସୁନାଦୋକାନରେ ଚଢ଼ାଉ କରାଯାଇ କାଗଜପତ୍ର ତୃଟି ଥିବାରୁ ୩୦ହଜାର ଟଙ୍କା, ରାଧାକୃଷ୍ଣ ଅଳଙ୍କାର ଦୋକାନରେ ଓଜନମାପ ଠିକ୍ ନଥିବାରୁ ୧୦ହଜାର ଟଙ୍କା, ଶୁଭମ ଜୁଏଲର୍ସର ଦୋକାନର କାଗଜପତ୍ର ସହ ମାପଓଜନରେ ଅନିୟମିତତା ରହିଥିବାରୁ ୩୦ହଜାର ଜୋରିମନା, ଓମ୍ ଜୁଏଲର୍ସରେ ଓଜନମେସିନ୍ ନବିକରଣ ହୋଇନଥିବା ଓ କାଗଜପତ୍ର ଠିକ ନଥିବାରୁ ୩୦ହଜାର ଜୋରିମନା, ଆରଏସ୍ ଜୁଏଲର୍ସରେ ମାପଓଜନ ମେସିନ୍ କାଗଜପତ୍ର ଠିକ ନଥିବାରୁ ୧୦ହଜାର ଜୋରିମନା, ସନ୍ତୋଷ ଅଳଙ୍କାରରୁ ୧୦ହଜାର, ଶ୍ରୀରାମ ଜୟରାମ ସିଣ୍ଢିକେଟ୍ ଜୁଏଲର୍ସରୁ୧୦ହଜାର, ରୁକମିଣୀ ଜୁଏଲର୍ସରୁ ୨୦ ହଜାର, ହିଙ୍ଗୁଳା ଜୁଏଲର୍ସରୁ ୫ହଜାର, ସାହୁଜି ଜୁଏଲର୍ସରୁ ୩୦ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିବା ବେଳେ ତାଳଚେର ହାଟତୋଟା ଅଂଚଳରେ ଥିବା ଧରୀତ୍ରୀ ଜୁଏଲର୍ସ ଉପରେ ଚଢ଼ାଉ କରାଯାଇଥିଲା । ଉକ୍ତ ଜୁଏଲର୍ସର ସମସ୍ତ କାଗଜପତ୍ର ସଠିକ ଥିବାରୁ ତାହା ଉପରେ ଜୋରିମନା ହୋଇନଥିବା ଡ଼େପୁଟି କଲେକ୍ଟର ଶ୍ରୀମତୀ ଦେହୁରୀ ଏହା ପ୍ରକାଶ କରିଛନ୍ତି । ତେବେ ସୁନା ଦୋକାନ ଗୁଡ଼ିକ ଗ୍ରାହକକୁ ଆକୃଷ୍ଟ କରିବାକୁ ଧନତରାସ୍ ଭଳି ଏକ ଦିନରେ ପ୍ରପାଗଣ୍ଡା କରି ବିଭିନ୍ନ ରିହାତି ଆଳ ଦେଖାଇ ୧୮ କ୍ୟାରେଡ଼୍ ସୁନାକୁ ୨୪କ୍ୟାରେଡ଼୍ ସୁନା ଗହଣା କରି ଲୋକଙ୍କୁ ଭୂଆଁ ବୁଲାଇଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କିପରି ଏଥିପ୍ରତି କାହାର ଦୃଷ୍ଟି ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏତିକି ନୁହେଁ ଜିଏସ୍ଟିରେ କେତେକ ନାମୀଦାମୀ ସୁନା ଦୋକାନ ଟାକ୍ସ ଫାଙ୍କୁ ଥିବା ମଧ୍ୟ ଅଭିଯୋଗ ହେଉଛି । ଏପରିକି କିଛି ବ୍ୟବସାୟୀ ବାହାର ଅଂଚଳରୁ ଆସି ସୁନା ଦୋକାନକରି କୋଟି କୋଟି ଟଙ୍କା ରୋଜଗାର କରି କୋଠାବାଡ଼ି ଓ ବଡ଼ବଡ଼ ଅଟ୍ଟାଳିକା କରି ବେଶ ମଉଜ କରୁଥିବା ବେଳେ ସାଧାରଣ ଗରୀବ ଖଟିଖିଆ ନିଜର ଝିଅ ଓ ପୁଅ ବିବାହ ଓ ବ୍ରତଘରରେ ବାଧ୍ୟହୋଇ ସୁନା କିଣି ରୀତିନୀତି ସମ୍ପର୍ଣ୍ଣ କରିଥାନ୍ତି । ତେବେ ସୁନାର ମୂଲ୍ୟବୃଦ୍ଧି ସହିତ ସୁନା ମାନ ଓ ଗୁଣବତାର ଯାଂଚର ଆବଶ୍ୟକତା ରହିଛି ଓ ସେହିଭଳି ଜିଏସଷ୍ଟି ଫାଙ୍କୁଥିବା ସୁନାଦୋକାନ ଉପରେ ମଧ୍ୟ ଅଂଙ୍କୁ ଲଗାଇବା ନେଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଦୁର୍ନିତୀ ନିବାରଣ ସପ୍ତାହ ପାଳିତ
ତାଳଚେର, ୩୦/୧୦ ଦୁର୍ନିତୀ ନିବାରଣ ସପ୍ତାହ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଦେଶରୁ ଦୁର୍ନିତୀର ମୂଳପୋଛ କରି ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅକ୍ଟୋବର ୨୮ରୁ ୩ତାରିଖ ପର୍ଯ୍ୟନ୍ତ ଦୁର୍ନିତୀ ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ତାଳଚେର ବ୍ଲକ ତରଫରୁ ଦୁର୍ନିତୀ ନିବାରଣ ସପ୍ତାହ ୨୦୨୪ ଦିବସଟି ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆନୁସାଙ୍ଗିକ ଭାବେ ପ୍ରଦୀପ୍ତ ସାମଲ ଡ଼ିଏସପି ଭିଜିଲାନ୍ସ ସେଲ ଅନୁଗୋଳ ଉଦଘାଟନ କରିଥିବା ବେଳେ ଏକ ଜନସମ୍ପର୍କ ସଚେତନତା ଶୋଭାଯାତ୍ରା ତାଳଚେର ବ୍ଲକ ଠାରୁ ଆରମ୍ଭ ହୋଇ ସିଭିଲ୍କୋର୍ଟ ଓ ହାଟତୋଟା ମଙ୍ଗଳାମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିବା ପରେ ତାଳଚେର ପଂଚାୟତ ଶୋଭାଗୃହ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ମଂଚାସୀନ ଅତିଥିଭାବେ ସତ୍ୟବ୍ରତ ପଟ୍ଟନାୟକ ଏଇଇ, ସୋଭନ ମହାପାତ୍ର ଆଡ଼ିସନାଲ ତହସିଲଦାର, ଡ଼େପୁଟି କଲେକ୍ଟର ବିକାଶ ଶବର ଡ଼ିଏସପି ଭିଜିଲାନ୍ସ, ପ୍ରଦୀପ ସାମଲ, ସିଡ଼ିପିଓ ପ୍ରମୋଦିନୀ ତ୍ରିପାଠୀ, ଉର୍ମିଳା ଲାକ୍ରା ଇନ୍ସିପେକ୍ଟର ଯୋଗଦେଇ କୌଣସି ସରକାରୀ କାର୍ଯ୍ୟ ନିମନ୍ତେ ଲାଂଚ ଦେବା ଓ ନେବା ଆଇନ ଅନୁଯାୟୀ ଅପରାଧ ଅଟେ ଏବଂ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ କୌଣସି ସରକାରୀ କର୍ମଚାରୀ ଯଦି ଲାଂଚତ୍ତ୍ୱ-ଅର୍ଥ ଦାବି କରନ୍ତି ସେ ସମ୍ପର୍କରେ ଟୋଲଫ୍ରି ନଂ- ୧୦୬୪ କିମ୍ବା ୦୬୭୬୧- ୨୩୦୫ ୯୮୮୦୬୭୧-୨୩୦୬୦୨୮, ୦୬୭୬୪-୨୩୧୧୫କୁ ଯୋଗାଯୋଗ କରି ସୂଚନା ଦେବାକୁ କୁହାଯାଇଛି ।
ମହାଚଣ୍ଡୀ ଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ
ତାଳଚେର, ୩୦/୧୦ ପବିତ୍ର କାର୍ତିକ ପଞ୍ଚକ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ପାଞ୍ଚ ଦିନ ବ୍ୟାପୀ ୩୯ତମ ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହେବ । ଏଥି ନିମନ୍ତେ ବରିଷ୍ଠ ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ଶାନ୍ତିପାଠ କରିଥିଲେ । ତାହା ସହିତ ସମସ୍ତ ଜନସାଧାରଣ ମା’ ଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଥିବା ଏହି ଅନନ୍ୟ ଯଜ୍ଞରେ ଯୋଗ ଦାନ କରି ମା ହିଙ୍ଗୁଳାଙ୍କ କୃପା ଲାଭ କରିବାକୁ ସେ ଅନୁରୋଧ କରିଥିଲେ । ନଭେମ୍ବର ମାସ ୧୧ ତାରିଖରୁ ମହାଚଣ୍ଡୀ ଯଜ୍ଞ ଆରମ୍ଭ ହୋଇ ୧୫ ତାରିଖ ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ବୈଠକରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ, ସଞ୍ଜୟ ସାହୁ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁଙ୍କ ସମେତ ଗୋବର୍ଦ୍ଧନ ସାହୁ, ଲଚ୍ଛମନ ସାମଲ, ପଠାଣି ବାରିହା, ଡିଲେଶ୍ୱର ସାମଲ, ବିଭୂତ ସାମଲ, ବାଉରୀବନ୍ଧୁ ସାମଲ, ଅଜୟ କୁମାର ମହାନ୍ତି, ସର୍ବେଶ୍ୱର ଧର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଟ୍ରଷ୍ଟବୋର୍ଡ ସଦସ୍ୟ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ମା ହିଙ୍ଗୁଳା ବିଶ୍ୱଶାନ୍ତି ଯଜ୍ଞାନୁଷ୍ଠାନ ଓ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ମହାଚଣ୍ଡୀ ଯଜ୍ଞ ନିରବିଚ୍ଛନ୍ନ ଭାବରେ ଦୀର୍ଘ ୩୮ ବର୍ଷ ହେଲା ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଆସୁଛି ।
ତାଳଚେର ଠାରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଅନୁଗୋଳ ଜିଲ୍ଲା ଶାଖାର ବୈଠକ ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଡି.ସି.ଆଇ ଠାରେ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଅନୁଗୋଳ ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସଂଗଠନର ରାଜ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ,ବରିଷ୍ଠ ସାମ୍ବାଦିକ ଓ ବିଜେପି ଅନୁଗୁଳ ଜୋନାଲ ମିଡ଼ିଆସେଲ ସଂଯୋଜକ ପର୍ଶୁରାମ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗୃହରକ୍ଷୀ ସଂଘର ଆଇନ ପରାମର୍ଶଦାତା ଶ୍ରୀମତୀ ପ୍ରଭାତିନି ଆଚାର୍ଯ୍ୟ ,ଅନ୍ୟତମ ଉପଦେଷ୍ଟା ସାମ୍ବାଦିକ ଚିତ୍ତରଞ୍ଜନ ପାଣି,ଅନୁଗୋଳ ଜିଲ୍ଲା ଗୃହରକ୍ଷୀ ମହାସଂଘର ସଭାପତି ଶ୍ରୀମତୀ ମାମି ବେହେରା ,ସମ୍ପାଦକ ଦିଲ୍ଲୀପ କୁମାର ବେହେରା ,କୋଷାଦକ୍ଷ ସୌଭାଗ୍ୟ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।ଏହି ବୈଠକରେ ଜିଲ୍ଲାର ଶତାଧିକ ହୋମଗାର୍ଡ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟ ପରାମର୍ଶଦାତା ପର୍ଶୁରାମ ବାରିକ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ଉପରେ ସରକାର ସଚେତନ ଏବେ ବିଜେପି ସରକାର ରାଜ୍ୟର ଗୃହରକ୍ଷୀ ଅର୍ଥାତ୍ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘକୁ ଦେଇ ଥିବା ପ୍ରତିଶ୍ରୁତି ଗୁଡ଼ିକୁ ଧିରେ ଧୀରେ ଗୋଟିଏ ପରେ ଗୋଟିଏ ପ୍ରତିଶୃତିକୁ ପୂରଣ କରୁଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଓ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କିଛିଦିନ ପୂର୍ବେ ଗୃହରକ୍ଷୀ ଙ୍କର ସମସ୍ୟା ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି |ଯାହା ଆଉ କିଛି ସ୍ୱପ୍ନ ବାକି ଅଛି ଯାହା ଖୁବଶୀଘ୍ର ପୂରଣ ହେବ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି ।ଗୃହରକ୍ଷୀ ମାନଙ୍କ ପୁନଃ ନିଯୁକ୍ତି ହେବା ସହ ମହାସଂଘ ଓ ମାନ୍ୟବର ଗୃହ ମନ୍ତ୍ରାଳୟଙ୍କ ଚିଠି ମୁତାବକ ସରକାରୀ ଚାକିରୀ ମାନ୍ୟତା ଅର୍ଥାତ୍ ଗ୍ରୁପ ସି. ଏବଂ ଗ୍ରୁପ ଡି.ରେ ଗୃହରକ୍ଷୀ ଙ୍କୁ ଅଗ୍ରାଧିକାର ମିଳିବା ସହ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ତଥା ଓଡ଼ିଶା ରାଜ୍ୟର ୧୭ ହଜାର ଗୃହରକ୍ଷୀ ପରିବାରର ସଦସ୍ୟଙ୍କ ଆଶା ପୂରଣ ହେବ ବୋଲି ଶ୍ରୀ ବାରିକ ସମସ୍ତଙ୍କୁ ଭରସା ଦେଇଛନ୍ତି ।
ଶୋଚନୀୟ ସ୍ଥିତିରେ ନିର୍ମାଣଧିନ କୋଠା
ତାଳଚେର, ୩୦/୧୦ ଗୋଟିଏ ଭେଷଜ ମହବିଦ୍ୟାଳୟ ଓ ଚିକିତ୍ସାଳୟ ସରକାରଙ୍କ ପକ୍ଷରୁ ଖୋଲାଯାଉଛି, ହେଲେ ତାଳଚେରରେ କେବେ ଏହି ମେଡ଼ିକାଲ ହେବ, ତାହାର ଉତର କାହା ପାଖରେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏଠାରେ ଭେଷଜ ମହାବିଦ୍ୟାଳୟ ପାଇଁ ଏମସିଏଲ ପକ୍ଷରୁ ସମସ୍ତ କୋଠାବାଡ଼ି, ପାଠପଢ଼ା ଲାଗିଘର ନିର୍ମାଣ କାର୍ଯ୍ୟ ଶେଷ କରାଯାଇଛି ତଥାପି ଦୀପତଳ ଅନ୍ଧାର! ବିଭିନ୍ନ ସମୟରେ ଅଣରାଜନୈତିକ ଦଳ, ସଂଗଠନ ଆନ୍ଦୋଳନ ଚଳାଇଛନ୍ତି, କିନ୍ତୁ ଏବବାଦରେ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ନିରବ ରହୁଛନ୍ତି ବୋଲି ଚା’ ଖଟିରେ ଆଲୋଚନା ଚାଲିଛି । ତାଳଚେର ମହାନଦୀ କୋଲଫିଲଡ଼ସ୍ ଲିମିଟେଡ଼୍ ଦ୍ୱାରା ନିର୍ମିତ ଦ୍ୱାରା ନିର୍ମାଣ କରାଯାଇଥିବା ମେଡ଼ିକାଲ କଲେଜ ଖୋଲିବାନେଇ ରାଜ୍ୟ ସରକାର ଓ ଏମସିଏଲ ପକ୍ଷରୁ ନିଷ୍ପତି ନିଆଯାଇଥିବା ଘୋଷଣା ହୋଇଥିଲା । ଏହି ଘୋଷଣା ଏବଂ ଚୁକ୍ତିନାମା ପୁଣି ନାଲିଫିତା ତଳେ ବନ୍ଧା ହୋଇଛି ।
ଏହି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପ୍ରାୟ ୫ଶହ ବିଶିଷ୍ଟ ଶଯ୍ୟା ବିଶିଷ୍ଟ ଓ ପ୍ରତିବର୍ଷ ଶହେଟି ଆସନରେ ଛାତ୍ରଛାତ୍ରୀ ଏମବିବିଏସ୍ ପାଠ ପଢ଼ିବେ । ତାଳଚେର ମେଡ଼ିକାଲ କଲେଜ ଦ୍ୱାରା ଅନୁଗୋଳ ଜିଲ୍ଳା ସମତେ ଢ଼େଙ୍କାନାଳ, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଳାର ପ୍ରାୟ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଉତମ ସ୍ୱାସ୍ଥ୍ୟସେବା ପାଇବା ଲକ୍ଷ୍ୟ ରଖି ଏହି ମହାବିଦ୍ୟାଳୟ ଓ ଚିକତ୍ସାଳୟ ପ୍ରତିଷ୍ଠା କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାର ପରିଚାଳନା ଦାୟୀତ୍ୱ ତୁଲାଇବେ ଏବଂ ମେଡ଼ିକାଲ କଲେଜର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବ ବୋଲି ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ପ୍ରଶାସନିକ ପତ୍ର ସେତେ ବେଳେ ପ୍ରଦାନ କରାଯାଇଥିଲା । ଦୀର୍ଘବର୍ଷ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେବେ ଖୋଲିବ ତାହା ଉପରେ ଆଶାବାନ୍ଧି ବସିଛନ୍ତି ଅଂଚଳବାସୀ । ଏହି ମେଡ଼ିକାଲ କଲେଜ ଖୋଲିବା ପାଇଁ ୨୦୧୩ରୁ ତତ୍କାଳୀନ କଂଗ୍ରେସ୍ ଶାସନ କାଳରେ ବିଭିନ୍ନ ସମୟରେ କେନ୍ଦ୍ର ୟୁପିଏ ସରକାରଙ୍କ ନିକଟରେ ଦଳୀୟ ନେତାମାନେ ଦାବି କରି ଆସୁଥିଲେ । ପରିବର୍ତି ସମୟରେ ସମୟ ଏନଡ଼ିଏ ସରକାର ଅମଳରେ ୨୦୧୫ ସେପ୍ଟେମ୍ବର ୩ତାରିଖ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲାମନ୍ତ୍ରୀ ପିୟୁଷ ଗୋଏଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ ଓ ଏମସିଏଲର ବରିଷ୍ଠ ପରିଚାଳନା ନିର୍ଦ୍ଦେଶଙ୍କ ଉପସ୍ଥିତିରେ ତାଳଚେର ମେଡ଼ିକାଲ କଲେଜ ଶିଳାନ୍ୟାସ କଲେଜର ଶିଳାନ୍ୟାସ୍ କରାଯାଇଥିଲା । ଏହା ପରେ ପ୍ରାୟ ୪୯୨ କୋଟି ବ୍ୟୟରେ ଏମସିଏଲ ପକ୍ଷରୁ ମେଡ଼ିକାଲ କଲେଜ ନିର୍ମାଣ କରିବାକୁ ହସପିଟାଲ ଏବଂ ପିଲାଙ୍କ ପାଠ ପଢ଼ିବା ପାଇଁ ବିଭିନ୍ନ ଶ୍ରେଣୀଗୃହ ଓ ଲାଇବ୍ରେରୀ ନିର୍ମାଣ ଶେଷ ହୋଇଥିଲା । ସେତେ ବେଳେ ଠାରୁ ମେଡ଼ିକାଲ କଲେଜ ନିର୍ମାଣ ଶେଷ ହୋଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା ଲୋକଙ୍କ ସେବାରେ ଲାଗି ପାରିନଥିବା ତାଳଚେରବାସୀଙ୍କ ପାଇଁ ଏକ ଦୁର୍ଭାଗ୍ୟଜନକ ହୋଇଛି ବରଂ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଉଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି ।
ଅନ୍ୟ ପକ୍ଷରେ ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ପ୍ରାୟ ଦୀର୍ଘବର୍ଷ ହେବ ଶେଷ ହୋଇଥିବା ବେଳେ ରକ୍ଷଣାବେକ୍ଷଣା ଅଭାବରୁ ଘରଦ୍ୱାରା ଭୂତକୋଠି ସଦୃଶ୍ୟ ହୋଇଗଲାଣି । ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଳାରେ ଭିତିଭୁମି ନଥାଇ ସୁଦ୍ଧା ମେଡ଼ିକାଲ କଲେଜ ନିର୍ମାଣ କରାଯାଇ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏମସିଏଲ ପକ୍ଷରୁ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଇଥିଲେ ହେଁ ଏହା ତାଳଚେର ମେଡ଼ିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ଓ ଅଂଚଳବାସୀ କେବେ ଏହାର ସୁବିଧା ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଆଲୋକର ପର୍ବ ଦୀପାବଳୀ : ସହର ଠାରୁ ଗ୍ରାମାଚଂଳ ଯାଏଁ ଖୁସିର ମାହୋଲ
ତାଳଚେର, ୩୦/୧୦ କାର୍ତିକମାସ କୃଷ୍ଣପକ୍ଷ ଦୀପାବଳୀ ଉତ୍ସବ ପାଳିତ ହୋଇଥାଏ । ଆଲୋକର ପର୍ବ ଦୀପାବଳୀକୁ ନେଇ କଳାହୀରା ସହର ତାଳଚେର ଅଂଚଳରେ ଦେଖିବାକୁ ମିଳିଛି ଏକ ଖୁସିର ମାହୋଲ । ଖାସକରି ଗୃହିଣୀମାନେ ଏହି ଦିନ ଚଳଚଂଚଳ ହୋଇ ଘରଦ୍ୱାରା ପରିଷ୍କାର ପରିଚ୍ଛନ୍ନ ଓ ଲିପାପୋଛା ଆଦି କାର୍ଯ୍ୟ କରିଥାନ୍ତି । କାହିଁକି ନାଁ କଥିତ ଅଛି ଏହି ଦିନ ପ୍ରଭୂ ରାମଚନ୍ଦ୍ର ଓ ଲକ୍ଷ୍ମଣ ଚଉଦବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ । ରାମଚନ୍ଦ୍ରଙ୍କ ଅଗାମନରେ ଅଯୋଧ୍ୟାବାସୀ ଘରେ ଘରେ ଦୀପ ପ୍ରଜ୍ଜ୍ୱଳନ କରି ତାଙ୍କୁ ସ୍ୱାଗତ କରିଥିଲେ । ଏହି ଦିନଟି ମନେ ରଖିବାକୁ ଦୀପାବଳୀ ପର୍ବ ଭାବେ ପାଳିତ ହୋଇ ଆସୁଛି । ଆହୁରି ମଧ୍ୟ ସମୁଦ୍ର ମନ୍ଥନରୁ ମା’ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲେ, ତେଣୁ ଘରେ ଗୃହଣୀମାନେ ପୂଜାପାଠ କରି ଖିରି, ପିଠା, ମିଠା ଓ ଅନ୍ୟାନ୍ୟ ସୁସ୍ୱାଦ ବ୍ୟଞ୍ଜନ ଖାଦ୍ୟ ଆନନ୍ଦ ଉଲ୍ଲାସର ସହିତ ପ୍ରସ୍ତୁତ କରିଥାନ୍ତି । ଦୀପାବଳୀ ଦିନ ପୂର୍ବ ପୁରୁଷଙ୍କ ପିଣ୍ଡଦାନ ପୂର୍ବକ କାଉଁରିଆ ଜାଳି ଅନ୍ଧାର ରାତିରେ ପୂର୍ବପୁରୁଷଙ୍କୁ ସ୍ମରଣ କରି ଆମନ୍ତ୍ରୀତ କରାଯାଇଥାଏ ଏବଂ ‘ବଡ଼ ବଡ଼ୁଆ ହୋ ଅନ୍ଧାରେ ଆସି ଆଲୋକେ ଯାଅ’ ଏହି ପ୍ରଥା ଆଜି ପର୍ଯ୍ୟନ୍ତ ପ୍ରଚଳନ ହୋଇ ଆସୁଛି । ତେଣୁ ପୂର୍ବପୁରୁଷଙ୍କୁ ବର୍ଷକୁ ଥରେ ମନେ ପକାଇବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ତାଳଚେର ଅଂଚଳବାସୀ ମାନେ ଦୀପାଳବଳୀକୁ ଏକ ମହାନ ପରାମ୍ପରା ଭାବେ ପାଳନ କରି ଆସୁଛନ୍ତି । ଏହି ଆଲୋକର ପର୍ବ ଦୀପାବଳୀରେ ଛୋଟପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପରିବାର ସମସ୍ତ ସଦସ୍ୟ ଓ ସାହି ପଡ଼ୋଶୀଙ୍କ ସହ ନିଜର ଖୁସି ବାଂଟିବା ସହିତ ପର୍ବକୁ ପାଳନ କରିବା ଅବସରରେ ଫୁଲଝରି, ତାଳଫୋଟକା, ଘଡ଼ିବାଣ, ହାବେଳି, କୁମ୍ପି, ଚକ୍ରି, ସାପ, ଧପ୍ଧପି ଓ ଅନ୍ୟାନ୍ୟ କିସମର ବାଣ ପୁଟାଇ ବେଶ ଆନନ୍ଦ ସହକାରେ ଆଲୋକର ପର୍ବକୁ ପାଳନ କରିଥାନ୍ତି
।